ଅନ୍ତର୍ଜାତୀୟ ଚିଲିକା ସେଲଡକ ଲୋକ ଉତ୍ସବ ୨୦୨୩

ନବମ ଚିଲିକା ସେଲଡକ ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ | ୨୪- ୨୮ ନଭେମ୍ବର ୨୦୨୩

ଅନ୍ତର୍ଜାତୀୟ ଚିଲିକା ସେଲଡକ ଲୋକ ଉତ୍ସବ ୨୦୨୩

ପ୍ରେସ ବିଜ୍ଞପ୍ତି

ନବମ ଚିଲିକା ସେଲଡକ ଆନ୍ତର୍ଜାତୀୟ ଲୋକକଳା ମହୋତ୍ସବ
୨୪- ୨୮ ନଭେମ୍ବର ୨୦୨୩
ଓଡି ଆର୍ଟ ସେଂଟର, ବରକୂଳ, ବାଲୁଗାଁ ,ଓଡିଶା

ନବମ ଚିଲିକା  ସେଲଡକ  ଆନ୍ତର୍ଜାତୀୟ  ଲୋକକଳା  ମହୋତ୍ସବ  ପୂର୍ବ  ବର୍ଷମାନଙ୍କ  ପରି ଚଳିତ ବର୍ଷ ମହା ସମାରୋହରେ ପାଳନ କରାଯିବ । ଆସନ୍ତା ନଭେମ୍ବର ୨୪  ରୁ ୨୮  ତାରିଖ ଯାଏଁ   ୫ଦିନ   ବ୍ୟାପୀ   ଏହି   ମହୋତ୍ସବ   ବାଲୁଗାଁର   ବରକୂଳ   ସ୍ଥିତ   ଓଡି ଆର୍ଟ   ସେଂଟର ପରିସରରେ ଅନୁଷ୍ଠିତ ହେବ ।

ଚିଲିକା  ସେଲଡକ  ଆନ୍ତର୍ଜାତୀୟ  ଲୋକକଳା  ମହୋତ୍ସବ  ଏକ  ନିଆରା  ପ୍ରୟୋଗାତ୍ମକ କାର୍ଯ୍ୟକ୍ରମ  ଅଟେ ।  ଏହି  ମହୋତ୍ସବ  ଆମ ସାଂସ୍କୃତିକ ବିବିଧତାର  ବିଭିନ୍ନ  ଉଜ୍ଜଳ  ଦିଗକୁ ଦର୍ଶାଇବା ସହ ଲୋକକଥା, ନୃତ୍ୟ, ସଂଗୀତ, ପର୍ବପର୍ବାଣୀ, କଳାକାରିଗରୀ ଓ ଖାଦ୍ୟକୁ ଏକ ଭିନ୍ନ ଢଂଗରେ ଲୋକଙ୍କ ସମ୍ମୁଖରେ ପରିବେଷଣ କରିଆସୁଛି ।  କଳା  ନୈପୁଣ୍ୟତା  ପ୍ରଦର୍ଶନ, ଆଲୋଚନା  ଚକ୍ର  ସହ ମଂଚ  ଉପରେ  ପାରଂପରିକ  ଲୋକ  କଳା ପରିବେଷଣ  ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଅଟେ । ଖାଲି ସେତିକି ନୁହେଁ ବାହାରର ପରିଦର୍ଶକ ସହ କଳାକାର  ବା  କାରିଗରଙ୍କ  ସହ ସିଧାସଳଖ  ଭାବ  ବିନିମୟର  ସୁଯୋଗ  ଏହି  ଚିଲିକା ସେଲଡକ  ଆନ୍ତର୍ଜାତୀୟ  ଲୋକକଳା  ମହୋତ୍ସବ  ପ୍ରଦାନ  କରିଥାଏ  ବୋଲି    ଓଡି  ଆର୍ଟ ସେଂଟରର ଅଧ୍ୟକ୍ଷ ପି ସି ମହାନ୍ତି ସୂଚନା ଦେଇଛନ୍ତି ।

ଏଥରର ମହୋତ୍ସବରେ ମୁଖା ନୃତ୍ୟ ତଥା ଏହାର ଗଠନ ଶୈଳୀ ଉପରେ ଅଧିକ ଗୁରୁତ୍ୱ ଆରୋପ  କରାଯାଇଛି । ସାଉଥ କୋରିଆରୁ  ଆସିଥିବା  କଳାକାରଙ୍କ  ଦ୍ୱାରା  ମୁଖା  ନୃତ୍ୟ ପରିବେଷଣ   ଚଳିତ ବର୍ଷ   ଦର୍ଶକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ହେବ । ବହୁ ପୁରାତନ ମୁଖା ହସ୍ତକଳା ପୁଣିଥରେ ଲୋକଙ୍କ ଆଦୃତି ଲାଭ କରୁ ସେଥିପାଇଁ ଏଭଳି ପ୍ରୟାସ କରାଯାଇଛି ।  ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର ସହ ପିଢୀ ପରେ ପିଢୀ ଏହା ବଂଚି ରହୁ ଓ ଦେଶବିଦେଶରେ ଏହାର ଆଦର ବଢୁ ,  ଏହାହିଁ ଏହି ମହୋତ୍ସବ ପାଳନର ମୁଖ୍ୟ ଉଦେଶ୍ୟ ବୋଲି ଓଡି ଆର୍ଟ ସେଂଟରର ପ୍ରତିଷ୍ଠାତା ପ୍ରସନ୍ନ କୁମାର ଦାସ ପ୍ରକାଶ କରିଛନ୍ତି ।

ପ୍ରତିବର୍ଷ  ଓଡି  ଆର୍ଟ  ସେଂଟର  ପକ୍ଷରୁ  ଏହି  ମହୋତ୍ସବ  ପାଳନ     ସମୟରେ  ଆମ ପାରଂପରିକ କଳାକୁ ବର୍ଷ ବର୍ଷ ଧରି ଉଜ୍ଜିବୀତ କରି ଆସିଥିବା ଧୂରୀଣ ବ୍ୟକ୍ତିବିଶେଷଙ୍କୁ ଓଡି ଆର୍ଟ  ଲୋକ  କଳାକୃତି  ସମ୍ମାନ  ପ୍ରଦାନ  କରାଯାଇଥାଏ ।  ଚଳିତ  ବର୍ଷ  ଏହି  ନିଆରା  ସମ୍ମାନ  ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀଗୁରୁ ବେଣୁଧର ମହାପାତ୍ରଙ୍କୁ ପ୍ରଦାନ କରାଯିବ । ପୂର୍ବରୁ ଏହି ସମ୍ମାନରେ ବିଶିଷ୍ଟ ଡିଜାଇନର ପଦ୍ମବିଭୂଷଣ ରାଜୀବ ସେଠୀ, ମଧ୍ୟପ୍ରଦେଶ ଭିଲଚିତ୍ର କଳାର ଗୁରୁ ପଦ୍ମଶ୍ରୀ ଭିରୁ ବାଇ ଓ ମିନହ୍ୱା ଚିତ୍ରକଳା ପାଇଁ ସାଉଥ କୋରିଆର ପାର୍କ ୟୋନ ଓକଙ୍କୁ ସମ୍ମାନିତ କରାଯାଇଛି ।

ଏହି  ମହୋତ୍ସବର  ୩ୟ ଦିବସରେ  “ଓଡିଶା  ସଂସ୍କୃତିର  ଅର୍ଥନୈତିକ  ଯୋଗଦାନ” ସଂପର୍କିତ ଏକ କନକ୍ଳେଭ ବା ଆଲୋଚନା ଚକ୍ରର  ଆୟୋଜନ କରାଯାଇଛି । ଉତ୍କଳ ଚାମ୍ବର ଅଫ  କର୍ମସ,  ସିଆଇଆଇ  ଓ ଫିକିର  ମିଳିତ  ପୃଷ୍ଠପୋଷକତାରେ  ଏହି  କାର୍ଯ୍ୟକ୍ରମ  ଅନୁଷ୍ଠିତ ହେବ । ଏହି ୫ ଦିନିଆ ଲୋକ ମହୋତ୍ସବରେ ରାଜ୍ୟ ତଥା ଦେଶବିଦେଶର ବହୁ ବୁଦ୍ଧିଜିବୀ, ଶିଳ୍ପୀ,  ବୁଣାକାର,କଳାକାର,  ଛାତ୍ରଛାତ୍ରୀଙ୍କ  ସହ ସ୍ଥାନୀୟ  ବ୍ୟକ୍ତିବିଶେଷ  ଯୋଗଦେବାର କାର୍ଯ୍ୟକ୍ରମ  ରହିଛି ।  ଆସନ୍ତା  ୨୪   ନଭେମ୍ବରରେ  ଉଦଘାଟିତ  ହେବାକୁ  ଯାଉଥିବା  ଏହି ମହୋତ୍ସବର ସଫଳତା ପାଇଁ ଆମେ ଆପଣ ସମସ୍ତଙ୍କର ସହଯୋଗ କାମନା କରୁଅଛୁ ।

ପି ସି ମହାନ୍ତି
ଅଧ୍ୟକ୍ଷ, ଓଡି ଆର୍ଟ ସେଂଟର
                                                    
ପ୍ରସନ୍ନ କୁମାର ଦାସ
ପ୍ରତିଷ୍ଠାତା, ଓଡି ଆର୍ଟ ସେଂଟର

ପ୍ରେସ୍ ସମ୍ୱନ୍ଧୀୟ ସୂଚନା ପାଇଁ
ମାନସ ପଟ୍ଟନାୟକ, ପର୍ଯ୍ୟଟନ ନିର୍ଦ୍ଦେଶକ 
୯୮୯୯୩୫୧୧୧୮/ 9899351118