ଷ୍ଟ୍ରିଟ୍‌ଲାଇଟ୍‌ ଦୁର୍ନୀତି: ଯନ୍ତ୍ରାଂଶ ନ ଲଗାଇ ଅନୁଦାନ ହଡ଼ପ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଇବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଯନ୍ତ୍ରାଂଶ ନଲଗାଇ ସେ ବାବଦକୁ ବିଲ୍‌ କରାଯାଇଛି। ସେହିପରି ଷ୍ଟ୍ରିଟ୍‌ଲାଇଟ୍‌ ପାଇଁ ଏନର୍ଜି ମିଟର ଲଗାଯାଇ ନଥିବାରୁ ବିଦ୍ୟୁତ୍‌ ବିଲ୍‌ ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ ନେଇ ଅଭିଯୋଗ ଆସିଛି। କେନ୍ଦୁଝର ଜିଲ୍ଲାର ୨୯୫ଟି ପଞ୍ଚାୟତରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ୨୦୨୧-୨୨ରେ ଏଥିପାଇଁ ଟେଣ୍ଡର ହୋଇଥିଲା। ଏକ ପ୍ରତିଷ୍ଠିତ ଠିକାସଂସ୍ଥା କାମ ନେଇଥିଲା। ଏଥିପାଇଁ ୪ କୋଟି ୨୬ […]

ଷ୍ଟ୍ରିଟ୍‌ଲାଇଟ୍‌ ଦୁର୍ନୀତି: ଯନ୍ତ୍ରାଂଶ ନ ଲଗାଇ ଅନୁଦାନ ହଡ଼ପ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଇବାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଯନ୍ତ୍ରାଂଶ ନଲଗାଇ ସେ ବାବଦକୁ ବିଲ୍‌ କରାଯାଇଛି। ସେହିପରି ଷ୍ଟ୍ରିଟ୍‌ଲାଇଟ୍‌ ପାଇଁ ଏନର୍ଜି ମିଟର ଲଗାଯାଇ ନଥିବାରୁ ବିଦ୍ୟୁତ୍‌ ବିଲ୍‌ ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କା ଠକେଇ ନେଇ ଅଭିଯୋଗ ଆସିଛି। କେନ୍ଦୁଝର ଜିଲ୍ଲାର ୨୯୫ଟି ପଞ୍ଚାୟତରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଛି। ୨୦୨୧-୨୨ରେ ଏଥିପାଇଁ ଟେଣ୍ଡର ହୋଇଥିଲା। ଏକ ପ୍ରତିଷ୍ଠିତ ଠିକାସଂସ୍ଥା କାମ ନେଇଥିଲା। ଏଥିପାଇଁ ୪ କୋଟି ୨୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା। ବିଭିନ୍ନ ଗ୍ରାମରେ ଥିବା ବିଜୁଳି ଖୁଣ୍ଟରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଥିଲା। ସାଧାରଣତଃ ବିଦ୍ୟୁତ୍‌ ସଂଯୋଗ ପାଇଁ ପୋତା ଯାଇଥିବା ଖୁଣ୍ଟରେ ଆବଶ୍ୟକ ଯନ୍ତ୍ରାଂଶ ଏବି କେବୁଲ, ଆଇ ହୁକ୍‌ କ୍ଲାମ୍ପ, ସସ୍‌ପେନ୍‌ସନ୍‌ କ୍ଲାମ୍ପ, ଡେଡ୍‌ ଆଣ୍ଡ କ୍ଲାମ୍ପ ରହିଥାଏ। ଷ୍ଟ୍ରିଟ୍‌ଲାଇଟ୍‌ ଲଗାଇବା ବେଳେ ଏସବୁ ଯନ୍ତ୍ରାଂଶ ଲାଗିବା କଥା ନୁହେଁ। କିଛି ଅଧିକାରୀ ଅତି ଚତୁରତାର ସହ ଏଷ୍ଟିମେଟ୍‌ରେ ଏସବୁ ଯନ୍ତ୍ରାଂଶ ଲାଗିବ ବୋଲି ବ୍ୟବସ୍ଥା କରିଦେଲେ। ଠିକାସଂସ୍ଥା ଏବି କେବୁଲ, ଆଇ ହୁକ୍‌ କ୍ଲାମ୍ପ, ସସ୍‌ପେନ୍‌ସନ୍‌ କ୍ଲାମ୍ପ, ଡେଡ୍‌ ଆଣ୍ଡ କ୍ଲାମ୍ପ ଲଗାଇ ନଥିଲେ ମଧ୍ୟ ଏ ବାବଦକୁ କୋଟି କୋଟି ଟଙ୍କାର ବିଲ୍‌ ପାସ୍‌ ହୋଇଛି। ଯେଉଁଥି ପାଇଁ ସରକାରଙ୍କ ବ୍ୟାପକ ରାଜସ୍ବହାନି ହୋଇଛି।

ସେହିପରି ଏନର୍ଜି ମିଟର ଲଗାଯାଇ ନଥିବାରୁ ପ୍ରତି ମାସରେ ବିଦ୍ୟୁତ୍‌ ବିଲ୍‌ ବାବଦକୁ ସରକାର ଲକ୍ଷାଧିକ ଟଙ୍କା କ୍ଷତି ସହୁଛନ୍ତି। ନିୟମ ଅନୁସାରେ, ୧୦ଟି ଷ୍ଟ୍ରିଟ୍‌ଲାଇଟ୍‌ ଥିବା ଖୁଣ୍ଟ ପାଇଁ ଗୋଟିଏ ଏନର୍ଜି ମିଟର ଲାଗିବ। ମାତ୍ର କୌଣସି ଖୁଣ୍ଟରେ ଏନର୍ଜି ମିଟର ନାହିଁ। ମିଟର ଥିଲେ ଏହାକୁ ରିଡିଂ କରାଯାଇ ବିଲ୍‌ ପଇଠ କରାଯାଇଥାନ୍ତା। ଯେଉଁଠି ମିଟର ନାହିଁ ସେଠାରେ ବିଦ୍ୟୁତ୍‌ ବିଭାଗ ଲୋଡ୍‌ ଫ୍ୟାକ୍ଟର ନିୟମରେ ବିଲ୍‌ କରେ। ଅର୍ଥାତ ଷ୍ଟ୍ରିଟ୍‌ଲାଇଟ୍‌ ସନ୍ଧ୍ୟା ୬ରୁ ସକାଳ ୬ଟା ପର୍ଯ୍ୟନ୍ତ ଜଳୁଥିବାରୁ (ଲୋଡ୍‌ ଫ୍ୟାକ୍ଟର ନିୟମ ଅନୁସାରେ) ଦୈନିକ ୧୨ ଘଣ୍ଟା ହିସାବରେ ବିଦ୍ୟୁତ୍‌ ବିଲ୍‌ ପଇଠ ହେଉଛି। ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାର ତେଲକୋଇ, ବାଂଶପାଳ, ଚମ୍ପୁଆ, ଝୁମ୍ପୁରା, ପାଟଣା, ଘଟଗାଁ ଓ ହରିଚନ୍ଦନପୁର ବ୍ଲକ୍‌ରେ ଧାନ ଅମଳ ସମୟରେ ୩ ମାସ ଧରି ହାତୀ ଚଳପ୍ରଚଳ କରୁଥିବାରୁ ରାତିସାରା ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥାଏ। ଯଦି ଷ୍ଟ୍ରିଟ୍‌ଲାଇଟ୍‌ ପାଇଁ ଏନର୍ଜି ମିଟର ଲାଗିଥାନ୍ତା, ତେବେ ବିଜୁଳି ନଥିଲେ ବିଲ୍‌ କମ୍‌ ଆସିଥାନ୍ତା। ମାତ୍ର ମିଟର ନଥିବାରୁ ବିଜୁଳି ନଥିଲେ ବି ଲୋଡ୍‌ ଫ୍ୟାକ୍ଟର‌ ନିୟମ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ପଇଠ କରାଯାଉଛି। ‌ଯେଉଁଥିପାଇଁ ସରକାର କ୍ଷତି ସହୁଛନ୍ତି।

ସେହିପରି ଟେଣ୍ଡର ଚୁକ୍ତିନାମା ଅନୁସାରେ, ୬ବର୍ଷ ପର୍ଯ୍ୟନ୍ତ ଷ୍ଟ୍ରିଟ୍‌ଲାଇଟ୍‌ ମରାମତି ବ୍ୟବସ୍ଥା ଥିଲା। ଏହା ମୋଟ ଅନୁଦାନର ୨୫ ପ୍ରତିଶତ ଥିଲା। ଏହି ଅର୍ଥକୁ ପ୍ରତିବର୍ଷ ୫ ପ୍ରତିଶତ ଲେଖାଏଁ ଠିକାସଂସ୍ଥାକୁ ପ୍ରଦାନ କରାଯିବାର ଥିଲା। ମାତ୍ର ମରାମତି ବାବଦ ଅର୍ଥ ଉକ୍ତ ଠିକାସଂସ୍ଥାକୁ ବର୍ଷକରେ ପ୍ରଦାନ କରାଯାଇଥିବାରୁ ଏବେ ଷ୍ଟ୍ରିଟ୍‌ଲାଇଟ୍‌ ଅଚଳ ହେଲେ ବି ତାହାକୁ ଆଉ ମରାମତି କରାଯାଉ ନାହିଁ। ଅଧିକାଂଶ ସମୟରେ ପଞ୍ଚାୟତ ଉପ‌ରେ ଏହାର ମରାମତି ପାଇଁ ଚାପ ପଡ଼ୁଛି। ଗୋଟିଏ ପଟେ ଏନର୍ଜି ମିଟର ନ ଲଗାଇ ଏହାର ବିଲ୍ ନିଆଯାଇଥିବା ବେଳେ ମିଟର ନଥିବା ଯୋଗୁଁ ଲୋଡ ଫ୍ୟାକ୍ଟର ନିୟମ ଅନୁସାରେ ବିଦ୍ୟୁତ୍‌ ବିଲ୍‌ ଆଦାୟ କରାଯାଉଛି। ଏ ସମ୍ପର୍କରେ ଟାଟାପାୱାରର ଅଧୀକ୍ଷଣ ଯନ୍ତ୍ରୀ ରଶ୍ମିକାନ୍ତ ବେହେରାଙ୍କୁ ପଚାରିବାରୁ, ସେ କିଛି ଜାଣିନାହାନ୍ତି; ଏ ସଂପର୍କରେ ସେ କିଛି କହିପାରିବେ ନାହିଁ ବୋଲି ଉତ୍ତର ରଖିଛନ୍ତି।