ପ୍ରାଣଘାତୀ ପଳାସୁଣୀ ଛକ: ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ଟ୍ରକ୍‌

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ଅନ୍ୟତମ ବ୍ଲାକ୍‌ସ୍ପଟ୍‌ ତଥା ପ୍ରାଣଘାତୀ ପଳାସୁଣୀ ଛକରେ ପୁଣି ଗଡ଼ିଛି ମୁଣ୍ଡ। ବୁଧବାର ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ବୃଦ୍ଧ ଦମ୍ପତିଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଦଳିଦେଇଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଆନନ୍ଦପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଉମେଶ ପାଣିଗ୍ରାହୀ(୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ(୬୨)। ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ନଳିନୀଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଉମେଶ ଟ୍ରକ୍‌ରେ ଲାଗିରହିଯିବାରୁ ପ୍ରାୟ […]

ପ୍ରାଣଘାତୀ ପଳାସୁଣୀ ଛକ: ବୃଦ୍ଧ ଦମ୍ପତିଙ୍କୁ ଦଳିଦେଲା ଟ୍ରକ୍‌

ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥର ଅନ୍ୟତମ ବ୍ଲାକ୍‌ସ୍ପଟ୍‌ ତଥା ପ୍ରାଣଘାତୀ ପଳାସୁଣୀ ଛକରେ ପୁଣି ଗଡ଼ିଛି ମୁଣ୍ଡ। ବୁଧବାର ଭୋର୍‌ ପ୍ରାୟ ସାଢ଼େ ୫ଟା ବେଳେ ବୃଦ୍ଧ ଦମ୍ପତିଙ୍କୁ ଏକ ଦ୍ରୁତଗାମୀ ଟ୍ରକ୍‌ ଦଳିଦେଇଛି। ମୃତକ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍‌ ଅନ୍ତର୍ଗତ ଆନନ୍ଦପୁର ଗାଁର ଅବସରପ୍ରାପ୍ତ ଶିକ୍ଷକ ଉମେଶ ପାଣିଗ୍ରାହୀ(୬୬) ଓ ତାଙ୍କ ସ୍ତ୍ରୀ ନଳିନୀ ପାଣିଗ୍ରାହୀ(୬୨)। ଟ୍ରକ୍‌ ଧକ୍କାରେ ଘଟଣାସ୍ଥଳରେ ନଳିନୀଙ୍କର ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ଉମେଶ ଟ୍ରକ୍‌ରେ ଲାଗିରହିଯିବାରୁ ପ୍ରାୟ ୨୦୦ ମିଟର ଘୋଷ‌ାରି ହୋଇଯାଇଥିଲେ ଏବଂ ସତ୍ୟବିହାର ପାଖାପାଖି ଟ୍ରକ୍‌ ପଛ ଚକ ତଳକୁ ଖସିପଡ଼ିଥିଲେ। ବିବାହ ବାର୍ଷିକୀ ଅବସରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଆସି ଅଧ ବାଟରେ ସ୍ବାମୀ-ସ୍ତ୍ରୀ ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି।ଦୁର୍ଘଟଣା ପରେ ଟ୍ରକ୍‌ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ମଞ୍ଚେଶ୍ବର ଥାନା ପୁଲିସ ଟ୍ରକ୍‌କୁ ଠାବ କରିବାକୁ ଉଦ୍ୟମ ଚଳାଇଛି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନାନୁସାରେ ଦମ୍ପତି ସୋନପୁର-ଭୁବନେଶ୍ବର ବସ୍‌ରୁ ପଳାସୁଣୀ ଛକରେ ଓହ୍ଲାଇ ପୁରୀ ଯିବାକୁ ରାସ୍ତା ପାର ହେଉଥିଲେ। ସେମାନେ ହାତ ଧରାଧରି ହୋଇ ରାସ୍ତା ପାର ହେଉଥିଲେ। ଉମେଶ ଆଗେଆଗେ ଯାଉଥିଲେ। ଆଉ ମାତ୍ର ଦି’ ଫୁଟ୍‌ ପରେ ସେମାନେ ରାସ୍ତା କଡ଼ରେ ପହଞ୍ଚିଯାଇଥା’ନ୍ତେ। କିନ୍ତୁ ବାଣୀବିହାର ଦିଗରୁ କଟକ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ଟ୍ରକ୍‌ ନଳିନୀଙ୍କୁ ଧକ୍କା ଦେଇଥିଲା। ଫଳରେ ଉମେଶଙ୍କ ହାତରୁ ଖସି ନଳିନୀ ଟ୍ରକ୍‌ ଚକ ତଳେ ଚାପି ହୋଇଯାଇଥିଲେ। ଟ୍ରକ୍‌ଟି କିଛି ସମୟ ପାଇଁ ଅଟକିଥିଲା। ଉମେଶ ଟ୍ରକ୍‌କୁ ଅଟକାଇବାକୁ ଉଦ୍ୟମ କଲାବେଳେ ଚାଳକ ପୁଣି ଗାଡ଼ି ଚଳାଇଥିଲା। ଉମେଶ ଟ୍ରକ୍‌ର ଶିକୁଳି ଧରି ଓହଳି ପଡ଼ିଥିଲେ। ଟ୍ରକ୍‌ଟି ପୁଣି ଦ୍ରୁତବେଗରେ ଆଗକୁ ଚାଲିଥିଲା। ଉମେଶ ଘୋଷାରି ହୋଇ ଚାଲିଥିବା ବେଳେ ନିର୍ଦ୍ଦୟ ଟ୍ରକ୍‌ ଚାଳକ ଦେଖି ବି ଅଟକିନଥିଲା। ସତ୍ୟବିହାର ପର୍ଯ୍ୟନ୍ତ ଘୋଷାରି ହୋଇଯିବା ପରେ ଉମେଶଙ୍କ ହାତ ଶିକୁଳିରୁ ଖସିଯାଇଥିଲା। ସେ ଟ୍ରକ୍‌ ପଛ ଚକ ତଳେ ପଡ଼ିଯାଇଥିଲେ। ଏହି ଭୟଙ୍କର ତଥା ମର୍ମନ୍ତୁଦ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା। ଦମ୍ପତିଙ୍କ ଏଭଳି ମୃତ୍ୟୁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସେହିଭଳି ମୁଣ୍ଡଖିଆ ପଳାସୁଣୀ ଛକରେ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ସେଠାରେ ପହଞ୍ଚି ଦମ୍ପତିଙ୍କ ମୃତଦେହ ଜବତ କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲା। ପୁଲିସ ପରିବାର ଲୋକଙ୍କୁ ଯୋଗାଯୋଗ କରି ଶବ ବ୍ୟବଚ୍ଛେଦ କରାଇଥିଲା। ଦମ୍ପତିଙ୍କ ବଡ଼ପୁଅ ଏକ ବ୍ୟାଙ୍କରେ କାମ କରୁଥିବା ବେଳେ ସାନ ପୁଅ ସ୍ବିଡେନ୍‌ରେ ଅଛନ୍ତି। ଗୁରୁବାର ସାନପୁଅ ସ୍ବିଡେନ୍‌ରୁ ଫେରିବା ପରେ ଦମ୍ପତିଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ବିବାହ ବାର୍ଷିକୀରେ ଅନ୍ତିମ ଯାତ୍ରା ପ୍ରତିବର୍ଷ ବିବାହ ବାର୍ଷିକୀ ପାଳନ କରିବାକୁ ଉମେଶ ଓ ନଳିନୀ ପୁରୀ ଆସୁଥିଲେ। ଏଥର ଥିଲା ୩୯ ତମ ବିବାହ ବାର୍ଷିକୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦମ୍ପତି ବଡ଼ ଖୁସିରେ ସୋନପୁରରୁ ପୁରୀ ଅଭିମୁଖେ ବାହାରିଥିଲେ। ଗତକାଲି ରାତିରୁ ସେମାନେ ବସ୍‌ ଯୋଗ ବାହାରିପଡ଼ିଥିଲେ। ଆଜି ସକାଳେ ପଳାସୁଣୀ ଛକରେ ବସ୍‌ରୁ ଓହ୍ଲାଇଥିଲେ। ସେଠାରୁ ପୁରୀ ବସ୍‌ ଧରିବାର ଥିଲା। ମାତ୍ର ନିୟତିର ନିର୍ଦ୍ଦେଶ ଥିଲା ଭିନ୍ନ। ନିମିଷେକ ଭିତରେ ସବୁ କିଛି ଓଲଟପାଲଟ ହୋଇଗଲା। ୩୯ ତମ ବିବାହ ବାର୍ଷିକୀ ସେମାନଙ୍କ ପାଇଁ ମହାଯାତ୍ରା ପାଲଟିଗଲା। ଜଗନ୍ନାଥଙ୍କ ଦର୍ଶନ ପୂର୍ବରୁ ପଳାସୁଣୀ ମୃତ୍ୟୁ ଯନ୍ତାରେ ପଡ଼ିଗଲେ ଦମ୍ପତି। ଅଧ ବାଟରେ ସବୁ କିଛି ଅଧୁରା ରହିଗଲା।