ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଭୂପେନ୍ଦ୍ର ଯାଦବ

ବ୍ରହ୍ମପୁର: ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ କେନ୍ଦ୍ର ଶ୍ରମ, ରୋଜଗାର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ବ୍ରହ୍ମପୁରରେ ବିଜେପି ନେତା ଓ କର୍ମୀଙ୍କ ସହିତ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନ ବିଧାନସଭା କ୍ଷେତ୍ରରେ ଦଳୀୟ ସ୍ଥିତି ସେ ନେଇ ଆଲୋଚନା କରିଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଯାଦବ କହିଲେ, ଆସନ୍ତା ନିର୍ବାଚନରେ ଓଡ଼ିଶାରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଆ ସଂସ୍କୃତି, ଅସ୍ମିତା ଓ […]

ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଭୂପେନ୍ଦ୍ର ଯାଦବ

ବ୍ରହ୍ମପୁର: ଆଜି ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସିଥିଲେ କେନ୍ଦ୍ର ଶ୍ରମ, ରୋଜଗାର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ। ବ୍ରହ୍ମପୁରରେ ବିଜେପି ନେତା ଓ କର୍ମୀଙ୍କ ସହିତ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନ ବିଧାନସଭା କ୍ଷେତ୍ରରେ ଦଳୀୟ ସ୍ଥିତି ସେ ନେଇ ଆଲୋଚନା କରିଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ଯାଦବ କହିଲେ, ଆସନ୍ତା ନିର୍ବାଚନରେ ଓଡ଼ିଶାରେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଆ ସଂସ୍କୃତି, ଅସ୍ମିତା ଓ ଗୌରବକୁ ଦୃଷ୍ଟିରେ ରଖି ପୂର୍ଣ୍ଣ ମାତ୍ରାରେ ବିଜେପି ସପକ୍ଷରେ ରହିଛନ୍ତି ମତଦାତା। କେନ୍ଦ୍ର ସରକାର ଯୁବ, କୃଷକ, ମହିଳାଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ଯୋଜନା କରିଥିବା ବେଳେ ଏହି ଯୋଜନାର ଲାଭ ଉଠାଇବା ନିମନ୍ତେ ବର୍ତ୍ତମାନ ଲୋକେ ବିଜେପି ସରକାରଙ୍କୁ ହିଁ ଚାହୁଁଛନ୍ତି। ରାଜ୍ୟରେ ଦିନକୁ ଦିନ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡୁଥିବା ‌ବେଳେ ମା’ମାନଙ୍କୁ ସମ୍ମାନ ନଥିବା, ନାରୀ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି ବୋଲି ଉଦ୍‌ବେଗ ପ୍ରକାଶ କରିଥିଲେ।

ଅରାଜକତା ରୋକିବା ନିମନ୍ତେ କେବଳ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ମନ୍ତ୍ରୀ ଯାଦବ କରିଥିଲେ। ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଡ.ପ୍ରଦୀପ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଦାଦନ ସମସ୍ୟା, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ବୋଲି କହିଥିଲେ। ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରୁ ଗଞ୍ଜାମରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ବୋଲି ଡ.ପାଣିଗ୍ରାହୀ କହିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ପରିବାରକୁ ଉଚିତ ନ୍ୟାୟ ଦାବିରେ ଆସନ୍ତା କାଲି ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର କହିଛନ୍ତି।

ବ୍ରହ୍ମପୁରରେ ଗତ ୬ ତାରିଖ ରାତିରେ ଏକ ହୋଟେଲରେ ଏବଂ ଗତ ୭ ତାରିଖ ଦିନ କୋଟି କୋଟି ଟଙ୍କା ଗାଡ଼ି ଯାଞ୍ଚ ବେଳେ ଧରାପଡ଼ିଥିବା ଅଭିଯୋଗ ଆଣି ଏହି ଟଙ୍କା କୁଆଡୁ ଆସୁଛି ଏବଂ କେଉଁ ଉଦ୍ଦେଶ୍ୟରେ ଆସୁଛି ତା’ର ସଠିକ ଉତ୍ତର ରାଜ୍ୟ ସରକାର ଦେବେ କି ବୋଲି ଏହି ସାମ୍ବାଦିକ ସମ୍ମିଳନୀ ଜରିଆରେ ଡ.ପାଣିଗ୍ରାହୀ ପ୍ରଶ୍ନ କରିଥିଲେ। ବ୍ରହ୍ମପୁର ଜୋନ୍ ମିଡ଼ିଆ ସେଣ୍ଟର୍ ଠାରେ ଜୋନ୍ ସଂଯୋଜକ ସୁନୀଲ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ସଭାପତି ଡା.ସୁବାସ ସାହୁ, ବ୍ରହ୍ମପୁର ଲୋକସଭା ନିର୍ବାଚନମଣ୍ଡଳୀ ପ୍ରଭାରୀ ଅଶୋକ ମିଶ୍ର, ସଂଯୋଜକ ସରୋଜ ସାବତ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଷ୍ଣୁ ଦାସ, ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ମିଡ଼ିଆ ସଂଯୋଜକ ରାଜେଶ ପଟ୍ଟନାୟକ, ବ୍ରହ୍ମପୁର ବିଧାନସଭା ମିଡ଼ିଆ ସଂଯୋଜକ ଜି.ରାଜେନ୍ଦ୍ର ପ୍ରସାଦଏବଂ ସ୍ମିତାଲି ସ୍ମୃତିସ୍ନିଗ୍ଧା ପାତ୍ର ସହଯୋଗ କରିଥିଲେ।